Skip to playerSkip to main content
  • 5 minutes ago
ନିମାପଡା: ଓଡ଼ିଶା ଷ୍ଟେଟ୍ ବ୍ରିଗେଡ ସ୍କୁଲରେ ଶିଶୁ ଦିବସ ଓ ଖାଦ୍ୟ ମେଳା । ଶିଶୁ ଦିବସ ଅବସରରେ କୁନି କୁନି ପିଲାମାନେ ଦେଖାଇଛନ୍ତି ଅପୂର୍ବ ବ୍ୟବସାୟିକ ପ୍ରତିଭା । ପାଠପଢ଼ା ସାଙ୍ଗକୁ ବ୍ୟବହାରିକ ଜ୍ଞାନ ଓ ବାସ୍ତବ ଜୀବନର ଅଭିଜ୍ଞତା ଆହରଣ ପାଇଁ ଏକ ଅନନ୍ୟ ପ୍ରୟାସ ଦେଖିବାକୁ ମିଳିଛି । 
ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ଗୋପାଳପୁର ଠାରେ ଥିବା ଓଡ଼ିଶା ଷ୍ଟେଟ ବ୍ରିଗେଡ ସ୍କୁଲରେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ଦିନକୁ ଶିଶୁ ଦିବସ ପାଳନ ଅବସରରେ ଏକ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ଶିଶୁ ସୈନିକମାନଙ୍କ ଦ୍ୱାରା ଆୟୋଜିତ ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା କୁନି କୁନି ପିଲାମାନଙ୍କୁ ବ୍ୟବସାୟିକ ଜ୍ଞାନ ଏବଂ ବ୍ୟବହାରିକ ଗଣିତ ଶିକ୍ଷା ଦେବା ।
ମେଳା ପରିସରରେ ଏକ କ୍ଷୁଦ୍ର ବଜାରର ଭ୍ରମ ସୃଷ୍ଟି ହୋଇଥିଲା । ଏହି ମେଳାରେ କେତେକ ଛାତ୍ରଛାତ୍ରୀ ଦୋକାନୀ ବା ବିକ୍ରେତା ସାଜି ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ସାମଗ୍ରୀ ପ୍ରଦର୍ଶନ ଓ ବିକ୍ରି କରିଥିବା ବେଳେ ଅନ୍ୟମାନେ ଗ୍ରାହକ ହୋଇ ତାହା କିଣି ଖାଇଥିଲେ । ଏହି ପ୍ରକ୍ରିୟା ମାଧ୍ୟମରେ ପିଲାମାନେ ବାସ୍ତବ ଜୀବନରେ କିପରି କିଣାବିକା କରାଯାଏ, ଟଙ୍କା ପଇସାର ହିସାବ କିପରି ରଖାଯାଏ ଏବଂ ବ୍ୟବସାୟରେ ଲାଭ ଓ କ୍ଷତିର ମୂଲ୍ୟ କ’ଣ, ତାହା ବେଶ୍ ଆନନ୍ଦର ସହିତ ଶିଖିବାକୁ ପାଇଥିଲେ ।
କେବଳ ପୁସ୍ତକଗତ ବିଦ୍ୟା ନୁହେଁ, ବରଂ ଏଭଳି ପ୍ରାୟୋଜନ କୁନି କୁନି ପିଲାଙ୍କ ମନରେ ଆତ୍ମବିଶ୍ୱାସ ବୃଦ୍ଧି କରିବା ସହିତ ସେମାନଙ୍କର ଗଣିତ ଜ୍ଞାନକୁ ଅଧିକ ଦୃଢ଼ କରିପାରିଛି । ପିଲାମାନଙ୍କ ମଧ୍ୟରେ ବ୍ୟବସାୟିକ ଦକ୍ଷତା ଓ ନେତୃତ୍ୱ ଗୁଣ ବିକଶିତ କରିବା ଦିଗରେ ସ୍କୁଲର ଏଭଳି ସୁନ୍ଦର ପ୍ରୟାସକୁ ଅଭିଭାବକ ସ୍ଥାନୀୟ ଅଞ୍ଚଳରେ ସମସ୍ତେ ବେଶ ପ୍ରଶଂସା କରିଛନ୍ତି ।ଇଟିଭି ଭାରତ, ନିମାପଡା

Category

🗞
News

Recommended